ବାଜି ମାରିଲେ ଉପାସନା । ବ୍ରହ୍ମଗିରି ବିଧାନସଭାରେ ବିଜେପି ବିଜୟୀ । ବିଜେପିର ଉପାସନା ମହାପାତ୍ର ୯ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡିର ଉମା ସାମନ୍ତରାୟଙ୍କୁ ପଛରେ ପକାଇ ଓଡ଼ିଶାର ସର୍ବକନିଷ୍ଠ ବିଧାୟିକା ଭାବେ ସେ ବାଜି ମାରିଛନ୍ତି। ତେବେ ବ୍ରହ୍ମଗିରି ଆସନ ଆରମ୍ଭରୁ ହିଁ ରୋଚକ ରହିଥିଲା। ବିଜେଡିରୁ ସତ୍ୟବାଦୀ ଓ ବ୍ରହ୍ମଗିରି ଟିକେଟ ପାଇଁ ଉମା ସାମନ୍ତରାୟ ଏବଂ ସଞ୍ଜୟ ଦାଶବର୍ମାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଛକାପଂଛା । କିନ୍ତୁ ବ୍ରହ୍ମଗିରିରୁ ଉମାଙ୍କୁ ଟିକେଟ ଦେଇ ବାଜି ଓଲଟାଇବାକୁ ଚେଷ୍ଟା କରିଥିଲା ବିଜେଡି। ଏଇ ଫାଇଟରେ କିନ୍ତୁ ବ୍ରହ୍ମଗିରିବାସୀ ଉପାସନାଙ୍କୁ ପ୍ରାରମ୍ଭିକ ଭାବେ ବାଛି ନେଇଥିଲେ । ଲୁଲୁଙ୍କ ପ୍ରତି ଥିବା ଭଲପାଇବାର ନିଦର୍ଶନ ସ୍ୱରୂପ ପ୍ରଚାର ବେଳେ ହିଁ ଉପାସନାଙ୍କୁ ମିଳିଥିଲା ଆକୁଣ୍ଠ ସ୍ନେହ । ତାହା ଆଜି ଫଳାଫଳ ଭାବେ ସାମ୍ନାକୁ ଆସିଛି । ମାତ୍ର ୨୬ ବର୍ଷ ବୟସରେ ସେ ସର୍ବକନିଷ୍ଠ ବିଧାୟିକା ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି । ଏହା ସହିତ ବ୍ରହ୍ମଗିରିର ପ୍ରଥମ ବିଧାୟିକା ଭାବେ ଲୋକମାନେ ତାଙ୍କୁ ବାଛି ଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ବିଜୟ ଲୁଲୁ ପରିବାରର ବିଜୟ ବୋଲି ସେ କହିଛନ୍ତି ।