ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ପ୍ରଚାର କରିବାକୁ ଆଜି ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରେନରେ ଗଲା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରେଳମନ୍ତ୍ରୀ । କହିଛନ୍ତି, ରାଜ୍ୟବାସୀ ୨୪ ବର୍ଷ ହେଲା ବିଜେଡି ସରକାରକୁ ଦେଖିଲେଣି । ହେଲେ ରାଜ୍ୟରେ ବିକାଶ ହୋଇପାରିନାହିଁ । ସ୍କୁଲରେ ଶିକ୍ଷକ ନାହାନ୍ତି, ହସ୍ପିଟାଲରେ ଡାକ୍ତର ନାହାନ୍ତି । ଆଜି ବି ଲୋକେ ଦାଦନ ଯାଉଛନ୍ତି । ତେଣୁ ଲୋକେ ଏଥର ବିଜେପିକୁ ବାଛିବେ । ଏଥର ଓଡ଼ିଶାରେ ବିଜେପି ସରକାର ହେବ । ଏହା ସହ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୧୪ ପରେ ରାଜ୍ୟରେ ରେଳ ଲାଇନରେ ବିକାଶ ହୋଇଛି । ୩ ହଜାର ୭୯୯ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ କାମ ଚାଲିଛି । ଜଙ୍ଗଲ ଭିତରେ ଟନେଲ କାମ ମଧ୍ୟ ଚାଲିଛି । ୫୨ଟି ଷ୍ଟେସନକୁ ନବୀକରଣ କରାଯାଉଛି । ବାଲେଶ୍ୱର ଷ୍ଟେସନର ରୂପରେଖ ମଧ୍ୟ ବଦଳୁଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ବାଲେଶ୍ୱରରେ ୩ ଦିନ ରହି ଲୋକଙ୍କ ସଂସ୍ପର୍ଶରେ ଆସିବେ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା କଥା ବୁଝିବେ ବୋଲି କହିଛନ୍ତି ବୈଷ୍ଣବ ।