ଢେଙ୍କାନାଳ ପରଜଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଚାର । ବିଶାଳ ଜନସଭାରେ ଶାହା କହିଛନ୍ତି, ଏଥର ଓଡ଼ିଶାରେ ହେବ ବିଜେପି ସରକାର । ଗତ ୧୦ ବର୍ଷ ମଧ୍ୟରେ ମୋଦୀ ଗରିବଙ୍କ କଲ୍ୟାଣ ପାଇଁ ଅନେକ କାମ କରୁଛନ୍ତି । ଲୋକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ତାମିଲ ବାବୁ ଶାସନ କରିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତାମିଲ ବାବୁଙ୍କୁ ନବୀନ ବାବୁ ଓଡ଼ିଶାର ରାଜା କରିଛନ୍ତି । ଏ ବିଜେଡି ସରକାରକୁ ଉପାଡି ଫିଙ୍ଗିବା ସହ ଏହି ମାଟିର ପୁଅକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି । ଏ ବାବୁ ମାନେ ଓଡ଼ିଶାରେ ଲୁଟ୍ କରି ଚାଲିଛନ୍ତି । ଓଡ଼ିଶାର ଖଣି ଖାଦାନକୁ ଲୁଟି ଖାଇଛନ୍ତି । ବିଜେପି ସରକାର ହେଲେ ଦୁର୍ନୀତିଖୋର ବାବୁଙ୍କୁ ଜେଲରେ ଭର୍ତ୍ତି କରିବୁ । ମହାପ୍ରଭୁଙ୍କ ପବିତ୍ର ରତ୍ନଭଣ୍ଡାରର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାଞ୍ଚ ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ସାବର୍ଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ । ରତ୍ନଭଣ୍ଡାର ଚାବି ହଜାଇଥିବା ବ୍ୟକ୍ତିଙ୍କୁ ଆମେ ନିଶ୍ଚୟ ଦଣ୍ଡ ଦେବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଖଣିଜ ସମ୍ପଦରେ ଭରପୁର ରହିଛି ଓଡ଼ିଶା । ସମୃଦ୍ଧ ଓଡ଼ିଶାର ଜନତା ଗରିବ । ଏଠାରେ ଯୁବବର୍ଗ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ବିଜେପି ସରକାରରେ ଓଡ଼ିଶାରେ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯିବ । ଆୟୁଷ୍ମାନ ଯୋଜନାକୁ ନବୀନ ସରକାର ଲାଗୁ କରୁନାହାନ୍ତି । ନବୀନ ସରକାରକୁ ବିଦା କରନ୍ତୁ, ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଓଡ଼ିଶାରେ ଲାଗୁ କରିବୁ । ନରେନ୍ଦ୍ର ମୋଦୀ ଏ ଦେଶକୁ ସୁରକ୍ଷିତ ରଖିବାକୁ କାମ କରୁଛନ୍ତି । ମୋଦୀ କାଶ୍ମୀରରୁ ଧାରା ୩୭୦ ହଟାଇବା ସହ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଓଡ଼ିଶାକୁ ଏକ ନମ୍ବର କରିବାକୁ ହେଲେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଛନ୍ତି ଅମିତ ଶାହା ।