ଉପକୂଳରେ ଦେଖିବାକୁ ମିଳିଛି ବିଜେପିର ବଡ ନେତାଙ୍କ ଶକ୍ତି ପ୍ରଦର୍ଶନ । ବାଲେଶ୍ୱର ଓ କେନ୍ଦ୍ରପଡାରେ ଏକାଠି ହୋଇ ରୋଡ ସୋ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବାଲେଶ୍ୱର ଲୋକସଭା ଆସନ ଏଥର ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଏଠାରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କ ପାଇଁ ଏକାଠି ହୋଇଛନ୍ତି ଦଳର ବଡ ଚେହେରା । ଧର୍ମେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି, ଆଗାମୀ ୧୦ ତାରିଖରେ ରାଜ୍ୟରେ ବିଜେପି ସରକାର ଗଢିବ । ସେହିଭଳି କର୍ମକର୍ତ୍ତା ସମ୍ମିଳନୀ ଓ ଜନସଭା କରି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଭୋଟ ମାଗିଛନ୍ତି । ଆଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ।ଚଳିତ ନିର୍ବାଚନରେ ପ୍ରତାପଙ୍କୁ କଡା ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେହିଭଳି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି । ଏହା ଭିତରେ ବିଜେପିର ବଡ ନେତା ଏକାଠି ହୋଇ ପ୍ରଚାର କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି ।