ନିର୍ବାଚନ ମହାପର୍ବରେ ସାମିଲ ହେଲା ଓଡିଶା । ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।
ଏହି ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ । ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ୮ଟି ଜିଲ୍ଲାରେ ମୋଟ୍ ୭ ହଜାର ୨୯୮ ପୋଲିଂ ବୁଥର ବ୍ୟବସ୍ଥା ହୋଇଛି। ତା ଭିତରୁ ୫୩୭ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ଭୋଟ୍ ପଡ଼ିବାକୁ ଥିବାରୁ ଏଥିଲାଗି ଗ୍ରହଣ କଡ଼ା ସୁରୁକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗ ରୁମ୍ରେ EVMଗୁଡ଼ିକୁ ସୁରକ୍ଷିତ ରଖାଯିବ।