ଅଧରାତିରେ ରାଜଧାନୀରେ ଦେଖିବାକୁ ମିଳିଛି କାଳବୈଶାଖୀର ପ୍ରଚଣ୍ଡ ରୂପ । ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା, ପବନ ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଥିବା ବେଳେ ରାସ୍ତା ଉପରେ ଗଛ ଉପୁଡି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । କ୍ଷୟକ୍ଷତି ନେଇ କୌଣସି ତଥ୍ୟ ମିିଳିନଥିଲେ ମଧ୍ୟ ରାଜଧାନୀର ବିଭିନ୍ନ ବସ୍ତିରେ ଘର ଗୁଡ଼ିକ ପ୍ରଭାବିତ ହୋଇଛି । ତଳିଆ ଅଂଚଳରେ ରହିଥିବା ଘର ଗୁଡିକରେ ପାଣି ପଶିବା ସହିତ ଆସବାପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି । ୨୪ ଘଂଟା ମଧ୍ୟରେ କେନ୍ଦ୍ରାପଡା ରାଜନଗରରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ହୋଇଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।