ବିଗତ କିଛି ଦିନ ହେଲେ ଓଡ଼ିଶା ରାଜନୀତି ସରଗରମ ହେଇଛି। ଓଡ଼ିଶାକୁ ମାଳମାଳ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସୁଅ ଛୁଟୁଛି। ଠିକ୍ ସେଇଭଳି କଂଗ୍ରେସର ଶୀର୍ଷ ନେତୃତ୍ଵ ମଧ୍ୟ ଓଡ଼ିଶା ଆସି ପ୍ରଚାର କରିବା ଆରମ୍ଭ କରିଛନ୍ତି।
ସମସ୍ତଙ୍କ ନଜର ରହିଛି ଦୁଇ ଦଳର ବଡ ନେତାଙ୍କ ଉପରେ । ଗୋଟିଏ ପଟେ ରାହୁଲ ଗାନ୍ଧୀ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏପ୍ରିଲ ୨୮ରେ ସାଲେପୁରରୁ ଓଡ଼ିଶାରେ ପ୍ରଚାର ଆରମ୍ଭ କରିଥିଲେ ରାହୁଲ। ଠିକ୍ ସେଇଭଳି ଚଳିତ ମାସ ୬ ତାରିଖରୁ ବ୍ରହ୍ମପୁରରୁ ପ୍ରଚାର ଆରମ୍ଭ କରିଛନ୍ତି ମୋଦୀ। ଗୋଟିଏ ପଟେ ଅମିତ୍ ଶାହା, ରାଜନାଥ ସିଂହ , କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଭଳି ନେତା ଆସି ଓଡ଼ିଶାରେ ପ୍ରଚାରକୁ ଜୋରଦାର କରିଛନ୍ତି। ଏମାନଙ୍କ ତୁଳନାରେ ଦେଖିଲେ କଂଗ୍ରେସର ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ କୁ ଛାଡ଼ିଦେଲେ ଆଉ ସେମିତି କେହି ବଡ ନେତା ଓଡ଼ିଶାରେ ନଜର ଆସୁନାହାନ୍ତି।
ଏମିତିକି ରାହୁଲ ରାୟଗଡ଼ାରେ ଚଳିତ ମାସ ୩ ତାରିଖରେ ପ୍ରଚାର କରିବାକୁ ଥିବାବେଳେ କିନ୍ତୁ ସେହିଦିନ ରାହୁଲ ରାଇବରେଲିରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିପାଇଁ ରାହୁଲଙ୍କ ଓଡ଼ିଶା ଗସ୍ତ ବାତିଲ କରାଯାଇଥିଲା। କିନ୍ତୁ ଅନ୍ୟପଟେ ମୋଦୀ ଗତକାଲି ଦ୍ଵିତୀୟ ଥର ଓଡ଼ିଶା ଗସ୍ତରେ ଆସି ଅଢେଇ କିଲୋମିଟରର ରୋଡ ଶୋ କରିଛନ୍ତି। ରାହୁଲଙ୍କ ଓଡିଶା ଗସ୍ତ ବାତିଲ ହେବାରୁ ସାଧାରଣ ଲୋକ ଏହାକୁ ନେଇ ନାପସନ୍ଦ କରିଛନ୍ତି। ଗୋଟିଏ ପଟେ ରାହୁଲ ତାଙ୍କ କାର୍ଯ୍ୟକ୍ରମ ବାତିଲ କରିଥିବା ବେଳେ ମୋଦୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଲୋକଙ୍କ ବିଜେପି ପାଇଁ ସୁଯୋଗ ସୃଷ୍ଟି କରୁଛି ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏମିତି କି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ , ପ୍ରିୟଙ୍କା ଗାନ୍ଧିଙ୍କ ଭଳି ବଡ ନେତା ଓଡ଼ିଶା ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ତରଫରୁ କୁହାଯାଉଥିବା ବେଳେ କିନ୍ତୁ କାହାକୁ ଏପର୍ଯ୍ୟନ୍ତ ଓଡ଼ିଶାରେ ଦେଖିବାକୁ ମିଳିନି।