କଂଗ୍ରେସ ନିଜ ସଂକଳ୍ପ ପତ୍ରରେ ଜନତାଙ୍କୁ ନ୍ୟାୟ ଦେଇଛି । ନବୀନ ବାବୁ ଇସ୍ତାହାରରେ ଲୋକଙ୍କୁ ଲଣ୍ଠନ ଦେଖେଇଛନ୍ତି । କିଛି ଏମିତି କହି ବିଜେଡିର ଇସ୍ତାହାରକୁ ଭର୍ତ୍ସନା କରିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି । ନବୀନ ବାବୁ ଚାଷୀଙ୍କ ପାଇଁ ଜଳସେଚନ ବଢାଇବୁ କହିଛନ୍ତି କିନ୍ତୁ କେତେ ଜଳସେଚନ ବଢିବ ତାହା ଉଲ୍ଲେଖ ନାହିଁ । 2009 ରେ ଏଭଳି ପ୍ରତିଶ୍ରୁତି ଦେଇଥିଲେ ପ୍ରତି ବ୍ଲକରେ 35 ପ୍ରତିଶତ ଜଳ ସେଚନ କରିବୁ କିନ୍ତୁ ସିଏଜି ରିପୋର୍ଟ କହିଲା 198 ବ୍ଲକରେ ଜଳସେଚନ 35 ପ୍ରତିଶତ ହୋଇନାହିଁ । ଗୋଟିଏ ପରିବାର ଚଳିବାପାଇଁ 20 ହଜାର ଟଙ୍କା ଦରକାର । ମାସିକ 5200 ଟଙ୍କା ଚାଷୀର ଆୟ ରହିଛି ତାଙ୍କ ପାଇଁ କିଛି ନାହିଁ । ଯୁବକଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ବଜେଟ କଥା କହୁଛନ୍ତି 1 ଲକ୍ଷ କୋଟି ଟଙ୍କାର ଯୁବ ବଜେଟ ରହିବ, କିନ୍ତୁ ରାଜ୍ୟର ସମ୍ପୂର୍ଣ୍ଣ ବଜେଟ ଅଢେଇ ଲକ୍ଷ କୋଟି ଟଙ୍କାର ରହିଛି । ସ୍ୱତନ୍ତ୍ର ବଜେଟ କେବଳ ଭେଳିକି ବ୍ୟତୀତ ଆଉ କିଛି ନୁହଁ ।ପ୍ରତିବର୍ଷ 2 ଲକ୍ଷ ନିଯୁକ୍ତି ଦେବେ କହିଥଲେ । ଆଜି ଦାଦନ ଖଟିବାକୁ ଯୁବକ ବାହାରକୁ ଯାଉଛନ୍ତି । କିନ୍ତୁ 24 ବର୍ଷ ଶାସନ କାଳରେ ସାଢେ 5 ଲକ୍ଷ ସରକାରୀ ପୋଷ୍ଟରେ 2 ଲକ୍ଷ ପଦବୀ ଖାଲି ପଡ଼ିଛି । ସ୍ୱୟଂ ଯୋଜନାରେ କେତେଜଣ ଲାଭବାନ ହୋଇଛନ୍ତି ତାର ରିପୋର୍ଟ ଦିଅନ୍ତୁ । କହିଥିଲେ ମେକ ଇନ ଓଡ଼ିଶାରେ 30 ଲକ୍ଷ ନିଯୁକ୍ତି ଦେବେ, ରାଜ୍ୟରେ ମେକ ଇନ ଓଡ଼ିଶାରେ କେତେ ଜଣ ଯୁବକଙ୍କୁ ନିଯୁକ୍ତି ମିଳିଛି ତାହା ସ୍ପଷ୍ଟ କରନ୍ତୁ । କଂଗ୍ରେସ ତାର ଗ୍ୟାରେଣ୍ଟି କାର୍ଡରେ 2 ମାସ ପୂର୍ବରୁ କହିଛି 200 ୟୁନିଟ ବିଜୁଳି ମାଗଣା ଦେବ । ଏବେ ନବୀନ ବାବୁ କହୁଛନ୍ତି 100 ୟୁନିଟ ବିଜୁଳି ଛାଡ୍ କରିବୁ । କଂଗ୍ରେସକୁ କପି କରନ୍ତୁ ନାହିଁ। ରାଜ୍ୟରେ ବ୍ୟାଙ୍କ ସୃଷ୍ଟି ହୋଇନି, ମିଶନ ଶକ୍ତି ବଜାର ନାହିଁ, ଶ୍ରମିକ ମାନଙ୍କ ପାଇଁ ଯେଉଁ ବୋର୍ଡ ଅଛି ତାର ନିୟମ ଅଛି 2000 ରୁ 3000 କୋଟି ଟଙ୍କା ବଜେଟ ରହିଛି । ସେସବୁ ପୁରା କରି ପାରୁ ନାହାନ୍ତି । ତେଣୁ ଏହି ନିର୍ବାଚନ ବେଳେ ଧୂଆଁବାଣ ଭଳି ଭେଳିକି ଦେଖାନ୍ତୁ ନାହିଁ ।