ବବିଙ୍କୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ପିତାମ୍ବର । ‘ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ସେ ଅଭିଯୋଗ କରିଛନ୍ତି । ପ୍ରଣବ ପ୍ରକାଶ ଦାସ ସମ୍ପୂର୍ଣ୍ଣ ସତ୍ୟପାଠ ଦାଖଲ କରିନାହାନ୍ତି । ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍ ତଥ୍ୟ ଦାଖଲ କରିଛନ୍ତି ବବି । ୨୦୦୯ ମସିହାରେ ସେ +୨ ଆର୍ଟସ୍ କରିଥିବା ଦର୍ଶାଇଥିବା ବେଳେ ୨୦୨୪ ରେ +୨ ସାଇନ୍ସ ପଢିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ଏହାକୁ ନେଇ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏବେ ପ୍ରଶ୍ନ ଉଠାଇଛନ୍ତି । ଜଣେ କଳାର ଛାତ୍ର ବିଜ୍ଞାନ ପଢିବା ନେଇ କିଭଳି ସତ୍ୟପାଠ ଦାଖଲ କରିପାରିବ ତେଣୁ ଏହାକୁ ନେଇ ବବି ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ।
ଅନ୍ୟପକ୍ଷରେ ଏହା ଉପରେ ପ୍ରତ୍ୟୁତ୍ତର ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି । ତାଙ୍କ କହିବା ଅନୁଯାୟୀ, ପ୍ରଣବ ପ୍ରକାଶ ଦାସ ନିର୍ବାଚନୀ ସତ୍ଯପାଠରେ ଭୁଲ ତଥ୍ଯ ଦେଇଥିବା ନେଇ ପିତାମ୍ବର ଆଚାର୍ଯ୍ଯଙ୍କ ଅଭିଯୋଗକୁ ହାସ୍ଯାସ୍ପଦ ବୋଲି ସେ କହିଛନ୍ତି | ପ୍ରଣବ ପ୍ରକାଶ ୧୯୯୧ ମସିହାରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ କରିଥିବା ଲେନିନ କହିବା ସହ ସାର୍ଟିଫିକେଟ ପ୍ରଦାନ କରିଛନ୍ତି | ପ୍ରଣବ ଆରମ୍ଭରୁ ବିଜ୍ଞାନର ଛାତ୍ର ଏବଂ ୨୦୦୯ ରେ ମଧ୍ଯ ବିଜ୍ଞାନ ଛାତ୍ର ବୋଲି ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି |