ରାଜ୍ୟରେ ବିଭିନ୍ନ ସ୍ଥାନରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଓଡିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ତାନ ଓ ଛତିଶଗଡ଼ ଉପର ଦେଇ ଏକ ଟ୍ରପ ଲାଇନ ରହୁଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉ ଥିବା ବେଳେ ଆସନ୍ତା ୨୪ ଘଂଟାରେ ମୟୁରଭଞ୍ଜ ,କେନ୍ଦୁଝର ,ବାଲେଶ୍ୱର ,ଭଦ୍ରକ,ଗଂଜାମ ,ଗଜପତି ,କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଏହି ସମୟରେ ପବନର
ବେଗ ୪୦ ରୁ ୫୦ କିମି ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକର କିଛି କିଛି ସ୍ଥାନରେ ମଧ୍ୟ ସମାନ ସ୍ଥିତି ରହିବ।
ସେହିପରି ଆସନ୍ତାକାଲି ବିଜୁଳି ଘଡଘଡି ସହ ବର୍ଷା ଓ ଝଡିପବନ ହେବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର ଅନୁଗୁଳ କନ୍ଧମାଳ ଗଂଜାମ ଗଜପତି ଓ ରାୟଗଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରିକରିଛି ବିଭାଗ। ୯ ତାରିଖରେ ମୟୁରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଯାଜପୁର ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ରହିଛି। ବିଶେଷ ଭାବେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତୀ ଏବଂ ଆଭ୍ୟନ୍ତରୀଣ ଓଡିଶା ର କିଛି ସ୍ଥାନରେ ବର୍ଷାର ସମ୍ଭାବନା ଆଗାମୀ ୩ ଦିନ ଯାଏ ବିସ୍ତାରିତ ବର୍ଷା ପାଇଁ ୱାର୍ଣ୍ଣିଙ୍ଗ ରହିଛି। ଏହି ସମୟରେ ୪ ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ବିଭାଗ ଆକଳନ କରିଛି । ଅନ୍ୟପଟେ ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରଭାବ ରହିଥିବା ବେଳେ ୭ ରୁ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରହିବ । ଏହାସହ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତ ରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ପରିସ୍ଥିତି ଆଗାମୀ ୨୪ ଘଣ୍ଟା ଯାଏ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।