ଓଡିଶାକୁ କେନ୍ଦ୍ର ପକ୍ଷରୁ ଯଥେଷ୍ଟ ଅନୁଦାନ ମିଳୁଥିଲେ ମଧ୍ୟ ବିଜେଡି ସରକାର ଠିକଭାବେ ଖର୍ଚ୍ଚ କରିପାରୁଛନ୍ତି ନା ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକ୍ଷମ କରିପାରୁଛନ୍ତି । କିଛି ଏମିତି କହି ବିଜେଡ଼ି ସରକାର ଉପରେ ବର୍ଷିଲେ ମୋଦି । ଲୋକଙ୍କ ସବୁ ଆବଶ୍ୟକତା ମେଣ୍ଟାଇବାକୁ ମୋଦି ସରକାର ଯୋଜନା କରିଛି । ହେଲେ ଆସୁଥିବା ଯୋଜନା ଉପରେ ନିଜର ଷ୍ଟିକର ଲଗାଇ ବାହା ବାଃ ନେଉଛି ବିଜେଡି ସରକାର । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଠାରୁ ଆରମ୍ଭ କରି , ଜନଜୀବନ ଯୋଜନା, ସ୍ୱାସ୍ଥ୍ୟ ଯୋଜନା , ମାଗଣା ଚାଉଳ ଯୋଜନା ସବୁ ଯୋଗାଇଛି କେନ୍ଦ୍ର । ହେଲେ ଏହାକୁ ନିଜର ବୋଲି କହୁଛନ୍ତି ବିଜେଡି ସରକାର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ନିସ୍ତେଜ ହୋଇ ପଡିଛି, ଲୋକେ ବିଜେପିକୁ ନେଇ ଆଶ୍ୱସ୍ତ ଅଛନ୍ତି । ବିଜେପି ଆଶାର ନୂଆ କିରଣ ସାଜି ଉଭା ହୋଇଛି । ଓଡ଼ିଶା ପାଖରେ ପ୍ରଚୁର ଜଳ, ଖଣିଜ ସମ୍ପଦ, ଲମ୍ବା ସମୁଦ୍ର ତଟ ରହିଛି, ବ୍ରହ୍ମପୁର ଭଳି ଟ୍ରେଡ ସେଣ୍ଟର ରହିଛି । ଭଗବାନ ଓଡ଼ିଶାକୁ ବହୁତ କିଛି ଦେଇଛନ୍ତି । କିନ୍ତୁ ଏତେ ସମ୍ପଦ ଥିବା ଓଡ଼ିଶାର ଜନତା କାହିଁକି ଗରିବ । ଓଡ଼ିଶା ଧନୀ, କିନ୍ତୁ ଜନତା ଗରିବ । ଏ ପାପ ପୂର୍ବରୁ କଂଗ୍ରେସ କରୁଥିଲା, ପରେ ବିଜେଡି ନେତା କରିଛି । ହେଲେ ବିଜେପି ସରକାର ହେଲେ ରାଜ୍ୟବାସୀଙ୍କ ଦୁଃଖ ଦୂରେଇବ । ତେଣୁ ରାଜ୍ୟବାସୀ ଥରେ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି ମୋଦୀ । କହିଛନ୍ତି, ଥରେ ଓଡିଶାବାସୀଙ୍କ ସେବା କରିବାକୁ ସୁଯୋଗ ଦିଅନ୍ତୁ । ୫ ବର୍ଷରେ ଓଡିଶାକୁ ନମ୍ବର ୧ ରାଜ୍ୟ କରିବୁ । ଏହି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ ।